Unknown

 

 

 

 

 

 

 

 

 

ଫେରନ୍ତା ଯାତ୍ରୀ

ଚିନ୍ତାମଣି ମହାନ୍ତି

 

–୧–

 

ଜଗୁଜୀବନ ପରିଛା ଜଣେ ଖାଣ୍ଟି ଅଷ୍ଟାବଧାନୀ, ତାଙ୍କର ଏ ପ୍ରଶଂସାରେ ତାଙ୍କ ପରମଶତ୍ରୁ ବି ଈର୍ଷା କରିବ ନାହିଁ । ସେ ଏକସମୟରେ ଅନେକ ଆଡ଼େ ମନ ଦେଇପାରନ୍ତି । ମାଳା ଜପୁ ଜପୁ କେତେ ଲୋକଙ୍କ ସାଙ୍ଗରେ କେତେ କଥାବାର୍ତ୍ତା ହୋଇଯାଏ–କେତେ ଗାଳିକଜିଆ ଉଡ଼ିଯାଏ–ତେଣେ ବାଡ଼ିରେ ଗୋରୁ ପଶିବା ପ୍ରତି ସତର୍କ ଦୃଷ୍ଟି ଥାଏ–ବାଛୁରୀ ଦୁଧ ପିଇଯିବା ପ୍ରତି ନିଘା ଥାଏ–ରାତିକି ତୁଣ କଅଣ ହେବ, ସେ ଚିନ୍ତା ମନ ମଧ୍ୟରେ ନାଚୁଥାଏ । ଏହାଛଡ଼ା ମନ ଭିତରେ ଆହୁରି ଅନେକ କଳ୍ପନା ଜଳ୍ପନା ବି ଚାଲିଥାଏ । ପରିଛା ଏତେ ଆଡ଼େ ମନ ଦେଇ ସୁଦ୍ଧା ବ୍ରହ୍ମପଦରେ ଅଖଣ୍ଡ ଲୟ ରଖିଥାଆନ୍ତି । ଧନ୍ୟ ସାଧନା ! ଏଭଳି ଉଚ୍ଚଶ୍ରେଣୀର ସାଧକ ଆମ୍ଭମାନଙ୍କ ପରିଛା ଏବଂ ସେକାଳର ଜନକ ଋଷିଙ୍କ ଛଡ଼ା ଆଉ ତୃତୀୟ ବ୍ୟକ୍ତି ଦୁନିଆରେ କେହି ଜନ୍ମଗ୍ରହଣ କରିନାହାନ୍ତି କିମ୍ବା ସେଭଳି ଯୋଗଜନ୍ମା ପୁରୁଷ ଗଢ଼ିବାକୁ ବିଧାତା କଳ୍ପନା ସୁଦ୍ଧା କରି ନାହାନ୍ତି ।

 

ପରିଛାଙ୍କ ବୟସ ଅର୍ଦ୍ଧଶତାବ୍ଦୀ ଅତିକ୍ରମ କରି ଅନିର୍ଦ୍ଧିଷ୍ଟ କେତେ ବର୍ଷ ବଳିଗଲାଣି । ପ୍ରୌଢ଼ତ୍ୱସୁଲଭ ସ୍ଥୁଳତା ତାଙ୍କ ଶ୍ରୀଅଙ୍ଗ ଆଶ୍ରୟରେ ଧନ୍ୟ ହେଲାଣି । ଶରୀରର ବର୍ଣ୍ଣ ଚିକ୍‌କଣ ଶ୍ୟାମଳ । ମୁଣ୍ଡଟି ଠିକ୍ ପିଢ଼ା ବୋଇତାଳୁ ପରି ଚେକା । ତାହାର କେନ୍ଦ୍ର ସ୍ଥଳରେ କାଣି ଆଙ୍ଗୁଳି ମୋଟରେ କେରାଏ ଚୁରୁକି ଅଛି । ଆଜିକାଲିକା ଇସ୍କୁଲିଆ ପିଲାଗୁଡ଼ାକ ବଡ଼ କୁହାଳିଆ ଧରିଲେଣି-। ବାପ ଖୁଡ଼ୁତାଙ୍କୁ ତ ଖାତର କରନ୍ତି ନାହିଁ, ପୁଣି ବୟୋଽଧିକ ଗୁରୁସ୍ଥାନୀୟମାନଙ୍କୁ ସୁଦ୍ଧା ଟାହିଟାପରାରେ ଉଡ଼ାଇଦିଅନ୍ତି । ସେହି ଅବାଧ୍ୟ ସ୍ୱେଚ୍ଛାଚାରୀ ଟୋକାଗୁଡ଼ାକ ପରିଛାଙ୍କ ଚୁରୁକିଯୁକ୍ତ ମୁଣ୍ଡଟି ଦେଖି ‘ଠ’ ଅକ୍ଷର ଉପରେ ରେଫ ଚଢ଼ିଛି ବୋଲି କହି ରସିକତା ପ୍ରକାଶ କରନ୍ତି । ପରିଛାଙ୍କର ହଳେ ବାଦ୍‍ସାହି ନିଶ ଅଛି । ତାଙ୍କ ମୁହଁକୁ ନିଶଯୋଡ଼ାକ ବେଶ୍‍ ମାନେ । ନିଶ ସଙ୍ଗରେ ମଗଜର କି ବୈଜ୍ଞାନିକ ସଂଯୋଗ ବା ସମ୍ବନ୍ଧ ଅଛି କେଜାଣି, ତାକୁ ନ ମୋଡ଼ିଲେ ମଗଜ ଭିତରେ ବୁଦ୍ଧି ଛଞ୍ଚୁଡ଼ିପାରେ ନାହିଁ । ରଜନୀ ଚନ୍ଦ୍ରର ବିଚ୍ଛେଦ ସହିପାରେ–ଧରଣୀ ବସନ୍ତର ବିଚ୍ଛେଦ ସହିପାରେ–ମାଲେରିଆ ଜ୍ୱର କୁଇନାଇନର ବିଚ୍ଛେଦ ସହିପାରେ; ମାତ୍ର ପରିଛାଙ୍କ ନିଶଯୁଗଳ ବାମହସ୍ତର ବିଚ୍ଛେଦ ମୁହୁର୍ତ୍ତେ ସହିପାରନ୍ତି ନାହିଁ ।

 

ପରିଛା ନାମରେ ଜଗୁଜୀବନ ହେଲେହେଁ ନିଜ ଜୀବନ ସଙ୍ଗରେ ତାଙ୍କର ଅଧିକ ପରିଚୟ ଥିଲା । ନାମ ସଙ୍ଗରେ ବ୍ୟବହାରର କୌଣସି ସମ୍ପର୍କ ନ ଥାଏ । ଚୋରର ନାମ ସାଧୁ ହୋଇପାରେ–ଲୋକପୀଡ଼ିତ ଅତ୍ୟାଚାରୀର ନାମ ଦୀନବନ୍ଧୁ ହୋଇପାରେ–ହତ୍ୟାକାରୀର ନାମ କୃପାସିନ୍ଧୁ ହୋଇପାରେ । ସୁତରାଂ ବ୍ୟବହାର ନାମର ପ୍ରତିକୂଳ ହେବା ବିଚିତ୍ର ନୁହେ । ପରିଛାଙ୍କ ନାମ ତାଙ୍କ ବ୍ୟବହାରର ଅନୁକୂଳ ନ ଥିଲା ସତ୍ୟ; ମାତ୍ର ପ୍ରତିକୂଳ ଥିଲା ବୋଲି ତାଙ୍କର ଶତ୍ରୁ ସୁଦ୍ଧା କହିବାକୁ ସାହସୀ ହେବ ନାହିଁ । ତାଙ୍କର ନିପୁଣ ହସ୍ତ ଯେଉଁ କାର୍ଯ୍ୟରେ ନ ଲାଗିବ, ତାହା ଅସମ୍ପୂର୍ଣ୍ଣ ରହିଯିବ–ଏ ଅମୂଲ୍ୟ ବିଶ୍ୱାସ ତାଙ୍କର ପ୍ରକୃତିଗତ । ପାଣିମୁନ୍ଦାକ ନିଜେ ନ ଛାଙ୍କି ଅନ୍ୟ କେହି ଛାଙ୍କିଲେ ସେଥିରେ ଦୋଷ ରହିଯିବ । ସ୍ଥୂଳତଃ ତାଙ୍କ ହାତ ଯହିଁରେ ନ ଲାଗେ, ତାହା ଦୋଷଯୁକ୍ତ । ସେ ଦୋଷ ଆଉ ସୁଧୁରିବାର ଆଶା ନାହିଁ । ପୁଣି ଦୋଷ ମଧ୍ୟରେ ଯେ ତାରତମ୍ୟ ଅଛି, ଏ ଧାରଣା ତାଙ୍କର ମୂଳରୁ ନ ଥିଲା । ଗୋହତ୍ୟା କଲେ ଯେଉଁ ଦୋଷ ହୁଏ, ଚିମୁଟେ ଲୁଣ ନଷ୍ଟ କଲେ ବି ସେହି ଦୋଷ ହୁଏ । ଚିରରୋଗୀ ରୋଜ୍ ଔଷଧ ଖାଇଲାପରି ଦୋଷ ଥାଉ ବା ନ ଥାଉ, ଦିନରେ ଅନ୍ତତଃ ଥରେ ଲେଖାଏଁ ତାଙ୍କ ପରିବାର ତାଙ୍କଠାରୁ ଗାଳିଖାଆନ୍ତି । ତାଙ୍କ ମତରେ ଗାଳି ନ ଖାଇଲେ ସେମାନେ ବିଗିଡ଼ିଯିବେ । ରୋଜ୍ ନ ମାଜିଲେ ବାସନରେ କଳଙ୍କି ଧରିଯାଏ । ସେ ହୁକୁମ ଦେବେ, ଆଉ ସମସ୍ତେ ତାହା ପାଳନ କରିବେ–ଏହାହିଁ ତାଙ୍କ ସ୍ୱଭାବ ଆଇନର ପ୍ରବଳ ପ୍ରଥମ ଧାରା ! ବିଧାତା ଆଉ ଗୋଟିଏ ମହତ୍‍ ଗୁଣ ତାଙ୍କୁ ଦାନ କରିଥିଲେ । ସେହି ଗୁଣଟି ତାଙ୍କର ବୈଶିଷ୍ଟ୍ୟ । ସେ ଏପରି ଗୋଟାଏ ଶାଣଦିଆ ତୁଣ୍ଡ ପାଇଥିଲେ ଯେ, ଘର ଭିତରେ ବସି କଥା କହିଲେ ସାହିପଡ଼ିଶାଙ୍କର ତାହା ଶୁଣିବାକୁ ତିଳେମାତ୍ର ବିଘ୍ନ ଘଟେ ନାହିଁ ।

 

ସବୁବେଳେ ସବୁ କାର୍ଯ୍ୟରେ ସାବଧାନ ହେବା ଉଚିତ, ଏହା ନୀତିଶାସ୍ତ୍ରର ଉପଦେଶ । ଜଣେ ଜଣେ ମାତ୍ରାକୁ ବଳିଯାଇ ଅତିରିକ୍ତ ସାବଧାନୀ ହୋଇପଡ଼ନ୍ତି । ଆମ୍ଭମାନଙ୍କ ଜଗୁଜୀବନ ସେହି ଦଳର ପଟ୍ଟନାୟକ-ସ୍ଥାନୀୟ ଥିଲେ । ସେ ଅପବ୍ୟୟ ସହିପାରନ୍ତି ନାହିଁ । କାହାରିକୁ କୌଣସି ପଦାର୍ଥ ନଷ୍ଟ କରିବାର ଦେଖିଲେ ତାଙ୍କର ପ୍ରାଣ ଫାଟିଯାଏ । ଥରେ ତାଙ୍କ ଘରକୁ ଜଣେ କୁଣିଆ ଆସିଥିଲା । ସେ ଭାତ ଖାଉଥିବାବେଳେ ପରିଛା ଦୈବାତ୍ ପହଞ୍ଚିଯାଇ ଦେଖିଲେ ଥାଳୀ ଚାରିପାଖରେ ଶକ୍ତଗୁଣ୍ଡେ ଭାତ ବିଞ୍ଛୁଡ଼ି ହୋଇପଡ଼ିଅଛି । ସେ ଆଉ ସହିପାରିଲେ ନାହିଁ, ସେଠାରୁ ଚାଲିଆସି ନୀରୋଳାରେ ଭୋ ଭୋ ହୋଇ କାନ୍ଦିପକାଇଲେ । ସେଦିନ ରାତିରେ ନିଜର ଆହାର ବନ୍ଦ କଲେ । ତଦ୍ଦ୍ୱାରା କ୍ଷତିପୂରଣ ହେଲା–ପାପର ପ୍ରାୟଶ୍ଚିତ ହେଲା ।

 

–୨–

 

ଜଗୁଜୀବନ ବହୁକାଳରୁ ବିପତ୍ନୀକ । ତାଙ୍କର ଚାଳିଶ ବର୍ଷ ବୟସ ସମୟରେ ପତ୍ନୀବିୟୋଗ ଘଟିଥିଲା । ବର୍ତ୍ତମାନ ପତ୍ନୀ-ବିୟୋଗ ବ୍ୟଥା ତାଙ୍କ ହୃଦୟରେ ଆଉ ନାହିଁ । ପୁରୁଣା ବୈଦ୍ୟକାଳର ମହା ବ୍ୟଥାହର ତୈଳରେ ସେ ବ୍ୟଥା କେଉଁ ଦିନୁ ହରିଗଲାଣି । ତାଙ୍କ ପରି ଅବସ୍ଥାପନ୍ନ କୌଣସି ବ୍ୟକ୍ତି ତାଙ୍କରି ବୟସରେ କାୟାଶୂନ୍ୟ ହୋଇଥିଲେ ସେ ନିଶ୍ଚୟ ଦ୍ୱିତୀୟ ବିବାହ କରିଥାଆନ୍ତେ; ମାତ୍ର ପରିଛା ସେ ଶ୍ରେଣୀୟ ନ ଥିଲେ । ସେ ମନେ ମନେ ଭାବିଲେ–‘ପୁତ୍ର ଉତ୍ପାଦନ ବିବାହର ଉଦ୍ଦେଶ୍ୟ, କାହିଁକି ନା, ପୁତ୍ର ପିଣ୍ଡଦାନ କରିବ । ଚାଳିଶ ବର୍ଷ ଆସି କଟିଗଲା, ବିଧାତା ତ ସେ ସୌଭାଗ୍ୟ ଘଟାଇଲା ନାହିଁ । ଶେଷ ଦିନ ଆଉ କେତେ ଦୂରରେ ଅଛି, ତାହା ଜାଣିବାର ଉପାୟ ନାହିଁ । ବୋଧହୁଏ ଖୁବ୍ ନିକଟରେ ବି ଥାଇପାରେ । ତେବେ ଏହି କେତେ ଦିନ ପାଇଁ ଗୋଟାକୁ ବେକରେ ବାନ୍ଧି ତାହାର ଜୀବନ ମାଟି କରିବି କାହିଁକି ? ଆସିଥିଲି ଏକା, ଯିବି ଏକା, ମଝିରେ ଅଢ଼ାଇ ଦିନ ପାଇଁ ଗୋଟାଏ ସଙ୍ଗୀ କରିବା ଆଉ କି ଦରକାର ? ଏହିପରି ଭାବି ସେ ଆଉ ବିବାହ କଲେ ନାହିଁ । ଯୌବନରେ ସେ ସୁନାରୂପାର ଅଳଙ୍କାର ବ୍ୟବସାୟ କରି ପ୍ରଚୁର ଅର୍ଥୋପାର୍ଜନ କରିଥିଲେ । ପ୍ରଥମେ ସାମାନ୍ୟ ମୂଳଧନରେ ବ୍ୟବସାୟ ଆରମ୍ଭ କରିଥିଲେ; ମାତ୍ର ତାଙ୍କର ସତ୍ୟତା ଅଳ୍ପକାଳ ମଧ୍ୟରେ ତାଙ୍କୁ ବଡ଼ଲୋକ କରିଦେଲା । ସତ୍ୟତା ବ୍ୟବସାୟର ପ୍ରାଣ । ସତ୍ୟ, ନିଷ୍ଠା ସହ ବ୍ୟବସାୟ କଲେ କଦାପି ବ୍ୟର୍ଥକାମ ହେବାକୁ ପଡ଼େ ନାହିଁ । ପତ୍ନୀବିୟୋଗ ପରେ ଜଗୁଜୀବନ ବ୍ୟବସାୟ ଛାଡ଼ିଦେଇଅଛନ୍ତି । ଏଣିକି ଉପାର୍ଜିତ ଟଙ୍କା କରଜ ଲଗାଇଦେଇ ତାହାରି ସୁଧରେ ସଂସାରଯାତ୍ରା ନିର୍ବାହ କରନ୍ତି; ମାତ୍ର ମୂଳରେ ହାତ ଦିଅନ୍ତି ନାହିଁ । ତାଙ୍କ ଘରେ ପରିବାର ମଧ୍ୟରେ ସେ ଓ ବିଧବା ବଡ଼ଭଉଣୀ ନିଃସନ୍ତାନ । ରାଣୀ ଦେଈ ଛଡ଼ା ଆଉ କେହି ନ ଥିଲେ । ଧନର ବୈରୀ କୁଟୁମ୍ବ ସିନା ! ଯାହାର କୁଟୁମ୍ବ ନାହିଁ, ତାହାର ଅଧିକ ବ୍ୟୟର କି ଆବଶ୍ୟକ-? ଦୁଇବର୍ଷ ହେଲା ପରିଛାଙ୍କ ଘରେ ଆଉ ଜଣେ କୁଟୁମ୍ବ ବଢ଼ିଅଛି–ସେ ତାଙ୍କ ମାଉସୀ ପୁଅ ଭାଇର ନାତୁଣୀ କନକ । ସେ ଏବେ ବୃଦ୍ଧ ପରିଛାଙ୍କ ଗଳକଣ୍ଟକ ହୋଇଅଛି । କନକ ପିତୃମାତୃହୀନ । ପିତାମହ ତାହାର ଏକମାତ୍ର ଅଭିଭାବକ ଥିଲେ । ତାଙ୍କର ନାମ ମୁକୁନ୍ଦ । ସେ ବଡ଼ ଗରିବ ଥିଲେ । ମୁକୁନ୍ଦ ପୀଡ଼ିତ ହୋଇ କନକକୁ ଘେନି ପରିଛାଙ୍କ ଘରେ ଆସି ଆଶ୍ରୟ ନେଇଥିଲେ; ମାତ୍ର କାଳ ବ୍ୟାଧିହସ୍ତରୁ ମୁକ୍ତିଲାଭ କରିପାରିଲେ ନାହିଁ–ଛଅମାସ ପରେ ରୋଗ, ଦାରିଦ୍ର୍ୟର ଯନ୍ତ୍ରଣା ଭୁଲି ସେ ପରଲୋକକୁ ଚାଲିଗଲେ । କନକର ଆଉ ଆଶ୍ରୟ କେହି ନାହିଁ, ସୁତରାଂ ସେ ପରିଛାଙ୍କ ଘରେ ରହିଲା । ତାଙ୍କୁ ସେ ଠାକୁରବାବା ବୋଲି ଡାକେ ।

 

ବନ୍ଧ୍ୟା ରାଣୀ ଦେଈ କନକକୁ ମାତାଧିକ ସ୍ନେହ କରନ୍ତି । କନକ ତାଙ୍କୁ ମାଆ ବୋଲି ଡାକେ । ବନ୍ଧ୍ୟାର ଚିରତୃଷାତୁର ହୃଦୟ ସେହି ମାଆ ଶବ୍ଦରୁ ଆକଣ୍ଠ ଅମୃତ ପାନ କରି ଉଲ୍ଲସିତ ହୋଇଉଠେ । ବୃଦ୍ଧା ଏତେଦିନ ଯାଏ ରନ୍ଧାବଢ଼ା କରୁଥିଲେ; ମାତ୍ର ଏଣିକି ଆଉ ପାରିଲେ ନାହିଁ । ସେ ବସି କହିଦିଅନ୍ତି, କନକ ରାନ୍ଧେ । ଅଳ୍ପଦିନ ମଧ୍ୟରେ ସେ କନକକୁ ନିଜର ମନୋମତ କରି ଗଢ଼ିନେଲେ । ଏକାଦଶବର୍ଷୀୟା କନକ ପରିପକ୍ୱ ଗୃହିଣୀ ପରି ଘରର ସବୁ କାର୍ଯ୍ୟ ଏକାକିନୀ କରେ । ବୃଦ୍ଧା ସହଜ ସହଜ କେତେଟା କାମ କରି ତାକୁ ସାହାଯ୍ୟ କରିବାକୁ ଅଗ୍ରସର ହୁଏ; ମାତ୍ର କନକ ତାଙ୍କୁ କିଛି କରାଇଦିଏ ନାହିଁ । ସେ କହେ–‘‘ଇସ୍, ଭାରୀ କାମ ତ ! ଏକା ମୋତେ ନିଅଣ୍ଟ । ତୋର ବଳ ବଅସ ଅଛି ଯେ, ତୁ ଶୁଖିଲା ହାତରେ ଆଉ କାମ କରିପାରିବୁ ?’’ କନକ ଏପରି ଶୃଙ୍ଖଳାରେ କାମ କରେ ଯେ, ଅନ୍ୟ ଲୋକ ଯେଉଁ କାର୍ଯ୍ୟ ପହରକରେ କରିବ, ସେ ତାକୁ ଘଡ଼ିକରେ କରିଦେଇ ବସେ । ସମସ୍ତଙ୍କ ଖିଆପିଆ ଶେଷରେ ସେ ଖାଏ । ତହିଁପରେ ଆସି ବୃଦ୍ଧା ରାଣୀ ଦେଈଙ୍କ ଗୋଡ଼ରେ ହାତ ବୁଲାଇଦିଏ । ବୃଦ୍ଧା ତାକୁ ଆଦରରେ କୋଳକୁ ଟାଣିନେଇ ତାହାର ମୁଣ୍ଡରେ ପିଠିରେ ସ୍ନେହକୋମଳ ମାତୃହସ୍ତ ବୁଲାଇ ଦେଉ ଦେଉ ‘‘ଭଗବାନ, ମୋ ମାଆକୁ ରାଜରାଣୀ କର–ବାପ ମାଆ ଛେଉଣ୍ଡୀଟିକୁ ଶହେବର୍ଷ ଆଇଷ ଦିଅ’’–ଏହିପରି କେତେ କଲ୍ୟାଣ କରନ୍ତି । କନକର ରୁପ ଯେପରି, ଗୁଣ ବି ସେହିପରି । ତାର କାମର ସାଠଣା ଓ ଶାନ୍ତ ଶୀତଳ ସ୍ୱଭାବ ଦେଖି ସମସ୍ତେ ତାକୁ ପ୍ରଶଂସା କରନ୍ତି—ଆଦର ସ୍ନେହ ମଧ୍ୟ କରନ୍ତି । ଗାଆଁ ମାଇପେ ଝିଅ ଝିଆରୀଙ୍କୁ କାମପାଇଟିରେ ତିଆରିବା ବେଳେ କନକକୁ ଉପଲକ୍ଷ ଦେଇ କହନ୍ତି–‘‘ଝିଅ ଏକା କନକ । ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ତ ! ମଞ୍ଚମଣ୍ଡଳରେ ତାକୁ ଉପମା ଦେବାକୁ ନାହିଁ । କାମଦାମ ଯିମିତି, ଲାଜ ସରମ ବି ସିମିତି । ହସରେ, କାମରେ, କଥାରେ, ଚାଲିରେ, ଚାହାଣିରେ–କେଉଁ କଥାରେ ତାକୁ କିଏ ବାଛିବ ? କଣ୍ଢେଇ ପରି କେଡ଼େଖଣ୍ଡେ ଝିଅ ଲୋ ମାଆ, ତା ଦିହରେ ପୁଣି ଏତେ ଗୁଣ ? ଝିଅ ହେବ ତ ତାହାରି ପରି ଝିଅ ହେବ, ନ ହେଲେ ଦାଣ୍ଡିଆଦେଈ, ହାଣ୍ଡିଆପାଟୀ, ଅଣ୍ଡିଆଚଣ୍ଡୀ, ଉଲିଆତୁଣ୍ଡୀ, ଗଦେଇ, ଗୁବୁରୀ କାହାଣେ ଜନ୍ମକରି ଲାଭ କଅଣ ? ବାସ୍ତବରେ କନକର ହାତ ଯହିଁରେ ଲାଗେ, ସେ ଉଜ୍ଜ୍ୱଳ, ସୁନ୍ଦର ହୋଇଉଠେ । ତାହାରି ହସ୍ତଗୁଣରେ ପରିଛାଙ୍କ ଗୃହ ଅପୂର୍ବ ଶ୍ରୀଧାରଣ କରି ହସିଉଠିଲା–ଦେବାଳୟ ପରି ପବିତ୍ର ବୋଧହେଲା ଏବଂ ଋଷିଆଶ୍ରମ ପରି ଶାନ୍ତିସୁଖମୟ ହୋଇଉଠିଲା । ଜଣ ଜଣକ ହାତରେ କି ଅମୃତ ଥାଏ କେଜାଣି, ତାହା ସ୍ପର୍ଶରେ ଶ୍ମଶାନ ତପୋବନ ହୋଇଉଠେ । ସେହିପରି ସୁଲକ୍ଷଣା, ସର୍ବଗୁଣବିଚକ୍ଷଣା କନ୍ୟାଲକ୍ଷ୍ମୀ ଯାହା ଘରେ ଥାଏ, ଜଗତରେ ସେହି ଏକା ଭାଗ୍ୟଧର ।

 

–୩–

 

ପରିଛା କନକକୁ କି ଶୁଭକ୍ଷଣରେ, କି ଅମୃତ ନେତ୍ରରେ ପ୍ରଥମେ ଦେଖିଥିଲେ କେଜାଣି, କନକ ଠାକୁରବାବାଙ୍କର ଯେତେ ମନନେଇ କାମ କରେ, ପରିଛା ତାକୁ ତେତେ ଘୃଣା କରନ୍ତି । ଏହା କନକର ଦୁର୍ଭାଗ୍ୟ, କି ପରିଛାଙ୍କର ଗ୍ରହଦୋଷ–ତାହା କିଏ କହିପାରିବ ? ତାଙ୍କ ଆଖିରେ କି ବିଷ ଅଛି କେଜାଣି, କନକର ଗୁଣଗୁଡ଼ାକ ତାଙ୍କ ଦୃଷ୍ଟିରେଖା ସ୍ପର୍ଶରେ ଦୋଷ ହୋଇଯାଏ । ତାହାର କଥାରେ, ଆଚାରରେ, ବ୍ୟବହାରରେ, ଚାଲିଚଳଣରେ, ଖାଇବାରେ, ଶୋଇବାରେ, ରାନ୍ଧିବାରେ, ବାଢ଼ିବାରେ ଦୋଷ, କୀଟଗୁଡ଼ାକ ସଲସଲ ହେଉଥାଆନ୍ତି । ସ୍ଥୂଳରେ କନକର ଦେହ, ମନ, ପ୍ରାଣ, ଆତ୍ମା, ଅସ୍ଥି, ମାଂସ, ମେଦା, ରକ୍ତ, ଶିରା, ଉପଶିରା, ଗ୍ରନ୍ଥି, ପେଶୀ ସବୁ ନୀରୋଳ ଦୋଷରେ ଗଠିତ । ଏହି ପ୍ରଚୁର ଦୋଷରାଶି ଯୋଗୁଁ କନକ ବୃଦ୍ଧଙ୍କଠାରୁ ପ୍ରତ୍ୟହ ଏକାଧିକ ଥର ତିରସ୍କାର ଲାଭକରେ । ପରିଛା ସବୁବେଳେ କହନ୍ତି–ଏଟା ମୋର କିଏ, ବେଠିରେ ଏ ବୋଝ ମୁଁ କାହିଁକି ବହିବି ? ଏ ମଲାଙ୍ଗ କେଉଁଠି ଥିଲା, ଉଡ଼ିଆସି ମୋ କଲିଜାରୁ ରକ୍ତ ଶୋଷଣ କରୁଅଛି । ଏହାର, କି ଏହା ବାପର, କି ଏହା ଚଉଦପୁରୁଷର ମୁଁ କେଉଁ ଜନ୍ମରେ ଧାରୁଆ ଥିଲି ଯେ, ରାକ୍ଷସୀ ମୋ ଛାତି ଉପରେ ବସି ଅସୁଲ କରୁଅଛି । ସାତ ରଜାର ଧାନ ଖୋଇ ପୋଷିବି, ପୁଣି ବାହାଘରରେ ଗଉଣିଏ ଟଙ୍କା ଖରଚ କରିବି–କି, ମୋର ଏତେ ଅପରାଧ କାହିଁକି ? ମୁଁ ମୋର ନିଶ୍ଚିନ୍ତ ହୋଇ କେଡ଼େ ଆନନ୍ଦରେ ଥିଲି, ଏ ଆପଦ ମୋତେ କାହିକିଁ ? ଆଉ ଅଲକ୍ଷଣୀ କିସ୍କିନ୍ଧ୍ୟାସୁନ୍ଦରୀକି କିଏ ବାହାହେବାକୁ କେଉଁ ତୀର୍ଥରେ ତପସ୍ୟା କରୁଅଛି କେଜାଣି ? ବର ଲଙ୍କାରୁ ଆସିବ ପରା ! ପରିଛା ସବୁବେଳେ ଏହିପରି ଜିଗରଜଳା କଟୁକଥା କହନ୍ତି । କେଉଁ ଦିନ କନକ ତାଙ୍କଠାରୁ ଗାଳିଖାଇ ନାହିଁ, ଏପରି ଶୁଭଦିନ ତାହା ଜୀବନପଞ୍ଜିକାରେ ଖୋଜିଲେ ମିଳିବ ନାହିଁ । ଗାଳିଖାଇ କନକ କାନ୍ଦେ; ମାତ୍ର ତୁଣ୍ଡ ଫିଟାଇ କିଛି କହେ ନାହିଁ । ରାଣୀଦେଈ ତ ଭାଈଙ୍କ ସ୍ୱଭାବ ଜାଣନ୍ତି, ଭାଈଟି ତାଙ୍କର ଧାନହେଁସରେ କୁଆଥଣ୍ଟ ମରାଇଦିଅନ୍ତି ନାହିଁ । କନକ ତାଙ୍କର ଅନ୍ନଧ୍ୱଂସ କରୁଅଛି, ତାହା ତାଙ୍କ ପ୍ରାଣରେ ସହିବ କିପରି ? ସେ ଭାଇଙ୍କ କଥାରେ ପ୍ରତିବାଦ କରନ୍ତି ନାହିଁ, କଲେ ତାଙ୍କର ମହତ୍ତ୍ୱ ରହିବ ନାହିଁ, ସୁତରାଂ ନୀରବ ଭାବରେ ଅଶ୍ରୁ ବିସର୍ଜନ କରନ୍ତି । କିନ୍ତୁ ସେହି ଅଶ୍ରୁ ଯେ ତାଙ୍କର ତୀବ୍ର ପ୍ରତିବାଦ, ଏ ଜ୍ଞାନ ତାଙ୍କର ନ ଥିଲା । ସେ ଭାଇଙ୍କ ଅନୁପସ୍ଥିତିରେ କନକକୁ ପ୍ରବୋଧ ଦେଇ କହନ୍ତି, ‘‘ମାଆ, ମନ ଊଣା କର ନାହିଁ, ଦୁଃଖ ସହିଥିଲେ ସୁଖ ମିଳେ । ତୁ ଦୁଃଖ ସହି ରହିଥାଅ, ପଛକୁ ସୁଖ ପାଇବୁ । ଦୁଃଖ ଯେ ଦିଏ, ସୁଖ ବି ସେହି ଦିଏ–ଅମାବାସ୍ୟା ପରେ ପୂର୍ଣ୍ଣିମା ନିଶ୍ଚେ ଆସିବ, ଏହା ସଂସାରର ଧାରା ଲୋ ମାଆ ! ହରି ତୋ କଷଣ ଫେଡ଼ିବେ, ତୁ ବାୟାଣୀ କାନ୍ଦି କାନ୍ଦି ମନ ଖରାପ କର ନାହିଁ । କି ପାପ କରି ମାଇପିଜନ୍ମ ପାଆନ୍ତି କେଜାଣି, ସହିବାଟା ତାଙ୍କର ଧର୍ମ । ପିଲାକାଳଟା ବାପମାଆ ପ୍ରଭୃତିଙ୍କ ଗାଳିରେ ଯାଏ, ମଝି ସମୟଟା ସ୍ୱାମୀ, ଶାଶୁଶ୍ୱଶୁରଙ୍କ ଗାଳି ଗଞ୍ଜଣାରେ କଟେ, ଆଉ ଶେଷ କାଳଟାରେ କାମପାଇଟି କରି ନ ପାରିବା ହେତୁ ପୁଅବୋହୁଙ୍କଠାରୁ ଗାଳିଖାଇବାକୁ ହୁଏ–ବିଧାତା ଲେଖନକାର ମାଇପିଲୋକଙ୍କ କପାଳରେ ଏହି ଫଳ ଲେଖିଅଛି । ଅଲଣା ମାଇପି ଜୀବନ ପାଇଁ ସବୁ ସହି ନ ରହିଲେ ଚଳିବ କାହିଁକି ? ଦଣ୍ଡିବା ବଡ଼ପଣ ନୁହେଁ ଲୋ ମାଆ, ସହିବା ଏକା ବଡ଼ପଣ । ଭଗବାନ ସମସ୍ତଙ୍କର ସବୁ ସହନ୍ତି ବୋଲି ସିନା ସେ ଏଡ଼େ ବଡ଼ଲୋକ !

 

ଦିନେ ଦିନେ ପରିଛା କେତେ କୌତୁକ କରନ୍ତି, କେତେ ନବରଙ୍ଗ ବାହାର କରନ୍ତି–କେତେ ଶ୍ଳେଷ ବିଦ୍ରୂପ କରନ୍ତି, ପୁଣି ଦଣ୍ଡକେ ବଦଳିଯାଆନ୍ତି । କନକର ରାନ୍ଧଣ ଯେ ଖାଏ, ସେ ପ୍ରଶଂସା କରେ । ସେ ପ୍ରବୀଣା ରାଣୀ ଦେଈଙ୍କ ଶିଷ୍ୟା, ରନ୍ଧନବିଦ୍ୟାରେ ଦୁର୍ବଳ ହେବ କାହିଁକି ? ତା ରାନ୍ଧଣାଟା ଖାଲି ଠାକୁରବାବାଙ୍କ ତୁଣ୍ଡକୁ ରୁଚେ ନାହିଁ । ତାଙ୍କ ପତ୍ରରେ ତୁଣ ଶାଗ କେବେ ବଳିପଡ଼ିବାର ଦେଖାଯାଏ ନାହିଁ—ବରଂ ସବୁ ଚାଟିଚୁଟି ଖାଇଦିଅନ୍ତି, ଅଥଚ ରୁଚେ ନାହିଁ ବୋଲି କହିବୁଲନ୍ତି । କନକ ତୁଚ୍ଛାଟାରେ ଧିକ୍‍କାର ଖାଏ । ତୁଣ ସିଝିଥିଲେ ବି ଅସିଝା ହୁଏ–ଲୁଣ ଅଧିକ ନ ହୋଇଥିଲେ ବି ଲୁଣିଆ ହୁଏ । ପରିଛା କିଛି ଗୋଟାଏ ସୂତ୍ର ଧରି ଗାଳିଦେବାର ସୁବିଧା କରିନିଅନ୍ତି-। କେଉଁଦିନ କହନ୍ତି–‘‘ଛି-ଛି-ଛି-, ତୁଣଗୁଡ଼ାକ ଧୂଆଁଟିଆ, ଗନ୍ଧରେ ନାକ ଫାଟିଯାଉଛି ।’’ କେବେ କହନ୍ତି, ‘‘ଡାଲିଟା ଇମିତି ଲୁଣ ଜହର ହୋଇଅଛି ଯେ, କୁଆ କୁକୁର ବି ଛୁଇଁବେ ନାହିଁ ।’’ ଦିନେ ପରିଛା ଖାଉଥିଲେ, ରାଣୀଦେଈ ଆଗରେ ବସି ପଙ୍ଖା ହଲାଇ ମାଛି ତଡ଼ିବାରେ ଲାଗିଥିଲେ, କନକ ଖଣ୍ଡେ ଛଡ଼ାରେ ଠିଆହୋଇଥିଲା । ପରିଛା ଖାଉ ଖାଉ କହିଲେ- ‘‘ଆଃ, ଆଜି ମାଛ ମହୁରଟା ବଡ଼ ସ୍ୱାଦ ଲାଗୁଛି, ଠିକ୍ ଯେମିତି ଅମୃତ ! ଏ ତୁଣ କଅଣ ଏହି ଅପରଛନୀ କନକ ରାନ୍ଧିଛି ନା ? ଉଁ ହୁଁ, ମୁଁ ଖାଇଲାକ୍ଷଣି ବାରିଦେବି । ଏ ରାନ୍ଧଣା ରାଣୀ ଅପାର । ଆଃ, ତୁଣ ଖାଇ ତାଟିଆ ଖାଇବାକୁ ମନ ହେଉଅଛି ।’’ କନକ ଆଉ ସହିପାରିଲା ନାହିଁ, ଅନୁଚ୍ଚ ସ୍ୱରରେ କହିଲା–‘‘ମାଛତୁଣ ମାଆ କାହିଁକି ରାନ୍ଧିବ, ମୁଁ ରାନ୍ଧିଅଛି, ପଚାରନି ଭଲା ମାଆକୁ ।’’ ପରିଛା ଗର୍ଜିୁଉଠି କହିଲେ–‘‘ହଁଲୋ ଯୁଗ, ମୁଁ ଜାଣେ । ତୁ ସାତଜନ୍ମରେ କେବେ ଇମିତି ସୁଆଦିଆ ତୁଣ ରାନ୍ଧିପାରିବୁ ନା ?’’ ଅନନ୍ତର ରାଣୀ ଦେଈଙ୍କ ମୁହଁକୁ ଚାହିଁରହି ପଚାରିଲେ–‘‘ଆଚ୍ଛା, ସତ କହନି ରାଣୀଅପା, କିଏ ରାନ୍ଧିଅଛି ? ମୋ ରାଣୀଟି ମିଛ କହିବୁ ନାହିଁ ।’’ ରାଣୀ ଦେଈ ବିରକ୍ତ ହେଲା ପରି କହିଲେ–‘‘କାହିଁକି ରେ ଜଗୁ, ଏତେ ରାଣ ନିୟମ ? ଏଣିକି ତ ବଳ ବଅସ ହଟିଲା, ଆଖିକି ଝାପସା ମାରିଲାଣି, ଆଉ ମୁଁ ରାନ୍ଧିପାରୁଅଛି ନା ? ଏବେ କନକ ରାନ୍ଧେ, ଆଜି ମାଛମହୁର ବି ସେହି ରାନ୍ଧିଅଛି ।’’ ପରିଛାଙ୍କ ମୁହଁ କୟାଁ ଖାଇଲା ପରି ହୋଇଗଲା; ମାତ୍ର ସେ ଟାଣ ଛାଡ଼ିବାର ପାତ୍ର ନୁହନ୍ତି, ଉଚ୍ଚସ୍ୱରରେ କହିଉଠିଲେ–‘‘ନା, ନା, କେଭେଁ ନୁହେଁ–କେଭେଁ ନୁହେ, ତୁ ସେରେ ନିର୍ମାଲ୍ୟ ଧରି କହିଲେ ବି ମୁଁ ବିଶ୍ୱାସ କରିବି ନାହିଁ । ଛି-ଛି, ତୁ ସେ ନେସିନୀଟାକୁ କେବେ ହାଣ୍ଡୀଶାଳକୁ ଛାଡ଼ିବୁ ନାହିଁ, ତାହା ହାତ ଲାଗିଲେ ସବୁ ବିକୃତ ହୋଇଯିବ–ଭଲ ବି ଖରାପ ହୋଇଯିବ ।’’ ଏହା ଶୁଣି କନକ ମୁହଁ ଶୁଖାଇପକାଇଲା । ରାଣୀ ଦେଈଙ୍କର ନେତ୍ର ଛଳ ଛଳ ହୋଇଆସିଲା ; ମାତ୍ର କେହି କିଛି କହିଲେ ନାହିଁ । କିଛିକ୍ଷଣ ପରେ ରାଣୀଦେଈ ମୃଦୁ ହସି କହିଲେ–‘‘ନା ରେ ଜଗୁ, ସେହି ରାନ୍ଧିଅଛି ।’’ ପରିଛା ସଙ୍ଗେ ସଙ୍ଗେ ଲେଉଟିପଡ଼ି କହିଲେ, ‘‘ମୁଁ ସେଇଆ କହୁଅଛି ପରା, ଇମିତି ରାନ୍ଧଣା ମୁଁ ଜନ୍ମକେ ଖାଇ ନାହିଁ । ଛି, ଆଇଁଷିଆ ଗନ୍ଧରେ ବିରାଡ଼ି ବି ନାକରେ ଲୁଗା ଗଞ୍ଜିବ ।’’ ପରିଛାଙ୍କର ଦୁଇରୁପ ଦେଖି ଏତେ ଦୁଃଖ–ଏତେ ଗଞ୍ଜଣା ଭର୍ତ୍ସନାରେ ସୁଦ୍ଧା କନକ ହସିପକାଇଲା । ରାଣୀଦେବୀ ସୁଦ୍ଧା ନ ହସି ରହିପାରିଲେ ନାହିଁ; ମାତ୍ର ତାଙ୍କ ହସ ପରିଛା ଦେଖି ନାହାନ୍ତି ।

 

ପରିଛାଙ୍କ ପୂଜା କରିବାବେଳେ ଆଉ ଖାଇବାବେଳେ କନକର କପାଳ ବାମ ହୁଏ । ସେହି ସମୟ ଦୁଇଟା ତାର ଗାଳିଖାଇବାର ପ୍ରଶସ୍ତ ସମୟ । ପରିଛା ପୂଜା କରୁଥାଆନ୍ତି, ଆଉ ତାଙ୍କ ମୁହଁରୁ ଅନର୍ଗଳ ଗାଳି ବାହାରୁଥାଏ । ତେତେବେଳେ ସେହି ଗାଳିଗୁଡ଼ାକ ତାଙ୍କର ପୂଜାମନ୍ତ୍ର ହୁଏ । ଖାଇବାବେଳେ ବି ପାଟିରେ ଗାଳି ପୂର୍ଣ୍ଣ ହୋଇଥାଏ, ଖାଦ୍ୟ ପଦାର୍ଥଗୁଡ଼ାକ ସେହି ଗାଳିରେ ଗୋଳେଇହୋଇ ପେଟ ଭିତରକୁ ଯାଏ । କନକ ଏହିପରି ଗାଳିଖାଇ ଭାରୀ କାନ୍ଦେ । ତାହାର ଅନାଥ ହୃଦୟ ଲଜ୍ଜା, ଦୁଃଖ, ଘୃଣା ଓ ଅପମାନରେ ପୁରିଉଠେ । ସେ ଲକ୍ଷ୍ୟହୀନ ଶୂନ୍ୟଦୃଷ୍ଟିରେ କେବଳ ଚାହିଁ ରହେ । ତାହାର ହୃଦୟର ଗୋପନ ବ୍ୟଥା ମୁହଁ ବାଟେ ବାହାରି ନ ପାରି ଆଖିବାଟେ ବାହାରି ପଡ଼େ; କିନ୍ତୁ କଅଣ କରିବ, ପୋଡ଼ା ପେଟ ତ ମରିବ ନାହିଁ । ସେହି ଭଗାରୀଟା ଲାଗି ସେ ନତମସ୍ତକରେ ନୀରବ ଭାବରେ ସବୁ ସହିରହେ ।

 

–୪–

 

ଜଗୁଜୀବନ ପରିଛା ବର୍ତ୍ତମାନ ସୁଧଜୀବୀ–ଏହା ପୂର୍ବରୁ ବୋଲାହୋଇଅଛି । ବୈରାଗୀ ନାହାକ ତାଙ୍କର ଜଣେ ଖାତକ । କେଉଁକାଳରୁ ପରିଛାଙ୍କର ତାହା ଉପରେ ତିନି ଟଙ୍କା ବାକୀ ଅଛି-। ଦିନେ ସେ ତାକୁ ଡାକି କହିଲେ–‘‘ବୈରାଗୀ, ମୋ ଟଙ୍କା କଥା କଅଣ ତୁ ଭୁଲିଗଲୁ ?’’ ବୈରାଗୀ କହିଲା–‘‘ଭୁଲିଯିବି କଅଣ ଅହିନରକରେ ପଡ଼ିବାଲାଗି ? ତୁମେ ମୋର ଅନ୍ନଦାତା ଯଜମାନ, ତୁମ ଘର ମୋର ଭାତହାଣ୍ଡି । ତୁମ ଘର ଚାଉଳମୁଠାକ ମୋର ଭରସା । ଆଉ ବେଶୀ କଅଣ କହିବି, ମୁଁ ତୁମ ଘରର ଜ୍ୟୋତିଷୀ, ତିନିଟା ଟଙ୍କା କଅଣ ମୋତେ ଶୁଝିବାକୁ ପଡ଼ିବ ? ତେବେ ମୁଁ ଖାଲି ଛାଡ଼ିଦେବା କଥା କହୁନାହିଁ । ତୁମେ ବଡ଼ଲୋକ, ମୁଁ ତୁମ୍ଭର ଖଣ୍ଡିଏ ଆୟୁର୍ଯ୍ୟା ସାଧିଦିଏ, ଆଉ ତୁମେ ମୋତେ ଏ ଋଣରୁ ମୁକ୍ତି ଦିଅ । ଏଥିରେ ତୁମର ଯେପରି ଗୋଟାଏ କାର୍ଯ୍ୟ ହେବ, ମୋର ବି ସେହିପରି ଗୋଟାଏ ଉପକାର ହେବ । ବୈରାଗୀ ସେ କଲାଟାରେ ଜଣେ ଡାକୁଆ ଜ୍ୟୋତିଷୀ । ବିବାହର ଲଗ୍ନ ନିରୂପଣ ଆଉ କୋଷ୍ଠୀଗଣନା ସେ ନିର୍ଭୁଲ ଭାବରେ କରିପାରେ ବୋଲି ସମସ୍ତଙ୍କର ଧାରଣା । ବୈରାଗୀ ବ୍ୟତୀତ ଅନ୍ୟ କେହି ଖଡ଼ି ପକାଇଲେ କାହାରି ମନକୁ ଆସେ ନାହିଁ । ସେ ଅନେକ ଲୋକଙ୍କର ଆୟୁର୍ଯ୍ୟା ସାଧି ଦେଇଅଛି । ଯେଉଁ ଦଶାର ଯେଉଁ ଫଳ ଲିଖିତ ଅଛି, ତାହା ଠିକ୍‍ରୁପେ ଘଟୁଅଛି–ତିଳେମାତ୍ର ଆଡ଼ବାଙ୍କ ହେଉନାହିଁ । ପରିଛା ନିଜେ ମଧ୍ୟ ବୈରାଗୀର ଯୋଗ୍ୟତା ଜାଣନ୍ତି । ବୈରାଗୀର ପ୍ରସ୍ତାବରେ ସେ ସମ୍ମତ ହେଲେ-। ତହୁ ବୈରାଗୀ କହିଲା–‘‘ତୁମେ ତ ଜାଣ ବାବୁ, କୃଷ୍ଣ ସେବା ନ କଲେ ମୁଁ ପାଠ ହୁଡ଼ିଯାଏ-। ସେ ତ ଅଙ୍କ ପାଠ, ଟିକିଏ ଋଣା ଅଧିକ ହେଲେ ସବୁ ମାଟି ହୋଇଯିବ । ତୁମ ଆୟୁର୍ଯ୍ୟା କାମ ତିନି ମାସ ଲାଗିବ, ତୁମେ ଏହି ତିନି ମାସରେ ତିନି ଭରି ଅଫିମ ମୋତେ କିଣିଦେବ, ନ ହେଲେ ଭୁଲ ରହିଗଲେ ପଛକୁ ମୋତେ ନିନ୍ଦା କରିବ ନାହିଁ । ଜ୍ୟୋତିଷ ବିଦ୍ୟାକୁ ପରିଛା ଖୁବ୍ ଭକ୍ତି ଓ ବିଶ୍ୱାସ କରନ୍ତି, ବୈରାଗୀକୁ ବି ତାହାର ଯୋଗ୍ୟତା ପାଇଁ ଶ୍ରଦ୍ଧା କରନ୍ତି । ସେ କହିଲେ, ତିନି ତୋଳା କାହିଁକି, ମୁଁ ତୋତେ ଛଅ ତୋଳା କଳାମାଣିକ କିଣିଦେବି । ତୁ ମତି ଥୟ କରି ଲେଖିବୁ । ଦିନ, ବାର, ବେଳ ଠିକ୍ ଠିକ୍ ଘଟିଲା ପରି ଗଣନା କରିବୁ । ତୁ ଲେଖିସାରିଲେ ମୁଁ ଗୋଟାଏ ଦୁଇଟା କଥା ପରୀକ୍ଷା କରି ବୁଝିବି, ସତ ହେଲେ ଗୋଟାଏ ମାଣିଆବନ୍ଦୀ ପାଞ୍ଚଫୁଲିଆ ଯଥା ପୁରସ୍କାର ଦେବି ।’’ ଏହା ଶୁଣି ବୈରାଗୀ ଖୁବ୍ ଖୁସି ହୋଇ ସେହି ଦିନ କାର୍ଯ୍ୟାରମ୍ଭ କରିବ ବୋଲି କହି ଚାଳିଗଲା । ସେ ମନେ ମନେ କହିଲା–କି ଶୁଭ ମାହେନ୍ଦ୍ରବେଳରେ ଆଜି ରାତି ପାହିଥିଲା !

 

ଜଗୁ ଜୀବନଙ୍କ ଗାଳି, ଗଞ୍ଜଣା, ଅଣହେଳା ମଧ୍ୟରେ କନକ ଦିନକୁ ଦିନ ବଢ଼ିଉଠିଲା । ଦେଖୁ ଦେଖୁ କ୍ରମେ ସେ ବିବାହଯୋଗ୍ୟା ହେଲା । ଦେହରେ ଯୌବନର ଶ୍ରୀ ପୁଟିଉଠିଲା । ତାକୁ ଦେଖି ରାଣୀଦେଈ ଚିନ୍ତିତ ହୋଇଉଠିଲେ; କିନ୍ତୁ କଅଣ କରିବେ ମନେ ମନେ ଦହିହେବାକୁ ଲାଗିଲେ । କନକ ତାଙ୍କର ଗର୍ଭଜାତ ସନ୍ତାନ ନ ହେଲେ ସୁଦ୍ଧା ସେ ତାକୁ ଝିଅଠାରୁ ଅଧିକ ସ୍ନେହ କରନ୍ତି । ତାଙ୍କ ବନ୍ଧ୍ୟା ହୃଦୟ ତାକୁ ଝିଅ ବୋଲି କୁଣ୍ଢାଇ ଧରିଅଛି, ଗୋଟାଏ ଅଚ୍ଛେଦ୍ୟ ମୋହ ପାଶରେ ସେ ଆପେ ଆପେ ଛନ୍ଦିହୋଇ ଅଛନ୍ତି । ତାଙ୍କ ମନ ଯେ କନକ ପାଇଁ ବ୍ୟାକୁଳ ହେବ-ଏହା ଆଶ୍ଚର୍ଯ୍ୟ ନୁହେଁ । ସ୍ନେହ-ପାଶ ହୁଗୁଳେ ନାହିଁ, ହୁଗୁଳାଇବାକୁ ଚେଷ୍ଟା କଲେ ଅଧିକ କଷିହୋଇଥାଏ । ସ୍ନେହ ଗୋଟାଏ କି ବାଷ୍ପ କେଜାଣି, ସେ ଦେହରେ ପଶିଲେ ଆଉ ବାହାରେ ନାହିଁ । ରାଣୀଦେଈ କନକ ବିବାହ କଥା ଭାଇଙ୍କି କହିବେ ବୋଲି ଅନେକ ଥର ବାହାରିଲେଣି; ମାତ୍ର କହିପାରନ୍ତି ନାହିଁ । ମୁହଁରୁ କଥା ବାହାରୁ ବାହାରୁ ଅଟକିଯାଏ । ଏହିପରି ଇତସ୍ତତଃ ହୋଇ ଦିନେ ସାହସ ଧରି କହିପକାଇଲେ । ପରିଛା ଖାଇସାରି ଖଟ ଉପରେ ଶୋଇ ବିଶ୍ରାମ କରୁଥିଲେ । ରାଣୀଦେଈ ଆସି କଥାବାର୍ତ୍ତା କରି ବସିଲେ । ଭାଇଭଉଣୀଙ୍କ ଏକଥା ସେକଥା ନାନା ବିଷୟର ଆଲୋଚନା ହେଲା । କେତେକ କ୍ଷଣ ପରେ ରାଣୀଦେଈ ଅତି କୋମଳ ସ୍ୱରରେ କହିଲେ–‘‘ଜଗୁ ଗୋଟାଏ କଥା କହିବି, ତୁ ଚଳିବୁ ନାହିଁ ତ ।’’ ଭୋଜନ ଶେଷରେ ସମସ୍ତଙ୍କର ମନ ଊଣା ଅଧିକରେ ପ୍ରଫୁଲ୍ଲ ଥାଏ । ପରିଛା ସେଥିରୁ ବା ବାହାର ହେବେ କାହିଁକି ? ସେ ମୃଦୁ ହସି କହିଲେ–‘‘ଚଳିବି କାହିଁକି, କଅଣ କହିବୁ କହ ।’’ ରାଣୀଦେଈ କହିଲେ–‘‘କନକ ତ ବଡ଼ ହୋଇଉଠିଲା, ତା କଥା କଅଣ କରୁଅଛୁ ? ତୋ ଛଡ଼ା ତାର ଆଉ ଆଶ୍ରୟ କିଏ ଅଛି ? ଗୋଟାଏ ପାତ୍ର ଅନ୍ଦିସା କର, ବୈଶାଖ ମାସବେଳକୁ ତାକୁ ଉଠାଇଦେବା, ସେ ବୋଝ ତୋହରି ମୁଣ୍ଡକୁ ତ ରେ ଭାଇ ! ତୁ ନ କଲେ ଆଉ କିଏ କରିବ ? ଭିକାରୀର ଗଛମୂଳ ଆଶ୍ରା ଅଛି, କନକର ତାହା ବି ନାହିଁ । ସେ ଆଉ କଉଁଠିକି ଯିବ ? ବେଶୀ ଖର୍ଚ୍ଚ କରିବାକୁ ମୁଁ କହୁ ନାହିଁ, ଖୁବ୍ ଅଳ୍ପରେ ଫଳଟାଏ ଫୁଲଟାଏ ଦେଇ ପାଣି ଠେକିଏ ଗଡ଼େଇଦେ । ସେ ହାତକୁ ଦି ହାତ ହୋଇଗଲେ ତୁ ଖଲାସ୍‍–ତୋତେ ଆଉ କେହି ନିନ୍ଦା କରିବାକୁ ବାଟ ନ ଥିବ । ମୋ ସୁନା ଭାଇଟା, ତୁ ଏତିକି କର ।’’ ପରିଛା ଶୋଇକରି ସବୁ ଶୁଣୁଥିଲେ । ତାଙ୍କ ରକ୍ତରେ ବିଷ ଚରିଗଲା । ସେ ଆଉ ସମ୍ଭାଳି ହୋଇ ରହିପାରିଲେ ନାହିଁ ; ଧଡ଼ପଡ଼ ହୋଇ ଉଠି ବସି କହିଲେ–‘‘ଓଃ, କନକକୁ ବାହା ନ ଦେଲେ ମୋତେ କିଏ ତଣ୍ତିବାନ୍ଧି ନେଇଯିବ ପରା ? ସେ ଗାତକୁ ଯାଉ ବା ଚୁଲିକି ଯାଉ,ମୋର କଅଣ ଗଲା ? ସେଟା ମୋର କିଏ ଯେ, ତାହା ଲାଗି ମୁଁ ଏତେ କରିବାକୁ ଯିବି ? ରୂପ ଦେଖିଲେ ତ ଶିଆଳ କୁକୁର ବାନ୍ତି କରି ମରିବେ, ସେଟାକୁ ପୁଣି ବାହାହେବ କିଏ ? ତୁ ସିମିତି କଥା ମୋତେ କହିବୁ ନାହିଁ । ମୋତେ ତାହା ଭଲ ଲାଗେ ନାହିଁ । ଏ ତୋର କଥା ନୁହେଁ ଅପା ତୋ ସ୍ନେହର କଥା-।’’ ଏହା କହି ଭଉଣୀ ଆଡ଼କୁ ପିଠି କରି ଶୋଇପଡ଼ିଲେ । ରାଣୀଦେଈ ଆଉ କିଛି ନ କହି ଦୀର୍ଘନିଃଶ୍ୱାସ ପକାଇ ଅନ୍ୟତ୍ର ଉଠିଗଲେ ।

 

–୫–

 

ଠିକ୍‌ ତିନିମାସ ପରେ ବୈରାଗୀ ନାହାକ ଆୟୂର୍ଯ୍ୟା ବିଡ଼ାଟି ଆଣି ପରିଛାଙ୍କ ପାଖରେ ଥୋଇଦେଲା । ପରିଛା ଖୁବ୍‌ଖୁସି ହୋଇ ବୈରାଗୀର ଢେର ପ୍ରଶଂସା କଲେ । ବୈରାଗୀ ତାହାର ପ୍ରାପ୍ୟ ଆଗରୁ ପାଇସାରିଅଛି । କେତେଟା କଥା ପରୀକ୍ଷା ହେଲା ପରେ ଯୋଡ଼େ ଲୁଗା ପାଇବ । ସେ କଥା ତ ବର୍ତ୍ତମାନ ନୁହେ, ଆଗେ ପରୀକ୍ଷା ସରୁ, ପଛକୁ ଦେଖାଯିବା । ତେବେ ବୈରାଗୀ ଆୟୂର୍ଯ୍ୟା ଧରି ଆସି ଶୂନ୍ୟହାତରେ ଫେରିଗଲେ କଥାଟା ବଡ଼ ଅସୁନ୍ଦର ହେବ ଭାବି ପରିଛା ତାକୁ ଦୁଇସେର ଚାଉଳ ଏବଂ ଅଣେ ପଇସା ଦେଇ ବିଦାୟ କରିଦେଲେ । ସେହିଦିନଠାରୁ ପରିଛା ନିଜେ ଆୟୂର୍ଯ୍ୟା ପଢ଼ିବାକୁ ଆରମ୍ଭ କଲେ । ନାନା ଧନ୍ଦା ହେତୁ ଅଧିକ ଅଗ୍ରସର ହୋଇପାରନ୍ତି ନାହିଁ–ଗୀତା ପଢ଼ିଲା ପରି ଦିନରେ ପତ୍ରେ ଲେଖାଏଁ ସେ ପଢ଼ନ୍ତି । କନକକୁ ଗାଳିଦେବା ତାଙ୍କର ଗୋଟାଏ ନିତ୍ୟକର୍ମ ଥିଲା । ତାହା ଉପରେ ଆୟୂର୍ଯ୍ୟାପାଠ ଆଉ ଗୋଟାଏ ନିତ୍ୟକର୍ମ ହେଲା । ଦେଖୁ ଦେଖୁ ଦୁଇମାସ ଗତ ହୋଇଗଲା, ତେବେ ବି ଆୟୂର୍ଯ୍ୟା ପଢ଼ା ସରିଲା ନାହିଁ । ତିନିମାସ ପରେ ଆୟୂର୍ଯ୍ୟା ପଢ଼ା ଶେଷ ହେଲା; ମାତ୍ର ଶେଷ ଧାଡ଼ିଟି ପଢ଼ିଲାକ୍ଷଣି ପରିଛାଙ୍କ ଛାତି ଦାଉ ଦାଉ ହୋଇଉଠିଲା, ହାତ ଥରିଉଠିଲା, ଆୟୂର୍ଯ୍ୟାବିଡ଼ା ତଳେ ପଡ଼ିଗଲା । ସେ କମ୍ଫିତ ହସ୍ତରେ ଉଠାଇନେଇ ଉତ୍କଣ୍ଠାର ସହିତ ପୁଣି ଥରେ ପଢ଼ିଲେ । ଉଃ, କି ସର୍ବନାଶର କଥା ! ଶେଷରେ ଲେଖାଅଛି–‘‘ସନ ୧୩୧୦ ସାଲ ଫଗୁଣମାସ ଏଗାର ଦିନ ବେଳ ୨୫ ଦଣ୍ତ ୧୩ ଲିତା ସମୟରେ ସ୍ୱର୍ଗପ୍ରୟାଣ ଘଟିବ ଅର୍ଥାତ୍ର ଦେହ ଛାଡ଼ି ସ୍ୱର୍ଗକୁ ଯିବେ ।’’ ବୃଦ୍ଧାବସ୍ଥାରେ ପରିଛାଙ୍କ ଆଖିକୁ ଆଉ ପୂର୍ବପରି ଦେଖାଯାଏ ନାହିଁ–ଘୋର ଅନ୍ଧାର ରାତିରେ ବିଜୁଳି ମାରିଲେ ଯେପରି ବାଟ ଦେଖାଯାଏ ପରିଛା ଆଖିରେ ଅକ୍ଷରଗୁଡ଼ାକ ସେହିପରି ଦେଖାଯାଏ ଅର୍ଥାତ୍‌ କ୍ଷଣକେ ଦୀପ୍ତ, କ୍ଷଣକେ ଲୁପ୍ତ ଦେଖାଯାଏ । ସେହିହେତୁ ତେରଶହ ଦଶସାଲକୁ ସେ ତେରଶହ ଏକସାଲ ବୋଲି ପଢ଼ିଲେ । ଆଖି ଭଲରୂପେ ମଳି ଲୁଗାରେ ଛାପି ବାରମ୍ୱାର ପଢ଼ିଲେ–ସେହି ତେରଶହ ଏକସାଲ । ଶୂନଟା ବୁନ୍ଦା ପରି ସାନ ଥିବାରୁ ପରିଛାଙ୍କ ଆଖିରେ ସେ ଦେଖାଗଲା ନାହିଁ । ଯେତେ ଥର ପଢ଼ିଲେ ସେହି ତେରଶହ ଏକସାଲ । ତାଙ୍କ ମୁଣ୍ତରେ ଆକାଶ ଭାଙ୍ଗିପଡ଼ିଲା; ମସ୍ତିଷ୍କର କ୍ରିୟା ବିଶୃଙ୍ଖଳ ହୋଇଗଲା । ଅନେକ କ୍ଷଣ ପର୍ଯ୍ୟନ୍ତ ସେ ଥକାହୋଇ ବସିରହିଲେ । ତହିଁ ପରେ କିଞ୍ଚିତ୍‌ ପ୍ରକୃତିସ୍ଥ ହୋଇ ମନେ ମନେ କହିଲେ–ତେରଶହ ଏକସାଲ ଫଗୁଣମାସ ତ ଆଉ ପାଞ୍ଚମାସ ରହିଲା, ତେବେ କଅଣ ମୋର ପରମାୟୁ ଆଉ ପାଞ୍ଚମାସ ଅଛି ? ତେବେ ତ ଜୀବନର ସନ୍ଧ୍ୟା ଘୋଟି ଆସିଲାଣି । ବିସର୍ଜନର ବାଦ୍ୟକୁ ମୁଁ ଆବାହନର ମନ୍ତ୍ରପାଠ ମଣୁଥିଲି । ହାୟ, ଏବେ ସବୁ ସରିଲା । ଆଶାଭରସା, ମାୟାମମତା, ଲୋଭମୋହ ସବୁ ଶେଷ । ଅତୀତର ଅନୁଶୋଚନା ଓ ଭବିଷ୍ୟତ୍‌ର ଭାବନା ଏବେ ସବୁ ମରିଯିବ । ବାଟରେ ଆସି ଠିଆ ହେଲାଣି, ଅଥଚ ହାତରେ ପାଥେୟ କଡ଼େ କଉଡ଼ି ସୁଦ୍ଧା ନାହିଁ । ହାୟ, ମୋର ଗତି କଅଣ ହେବ ? ବିଷୟମଦରେ ଅନ୍ଧ ହୋଇ ମୁଁ ଜନ୍ମର ଉଦ୍ଦେଶ୍ୟ ଜୀବନର ଲକ୍ଷ୍ୟ ଭୁଲିଯାଇଅଛି । ଧିକ୍‌, ଶତ ଧିକ୍‌ ମୋତେ ! ମୁଁ ମାତୃଗର୍ଭରୁ ନ ମଲି କାହିଁକି ? ଖାଲି ହେଳାରେ ତ ଦିନ ଗଲା, କାହିଁ କାମ କଅଣ କରିଅଛି ? ଶେଷଦିନ ମହାଦରବାରରେ ଉପସ୍ଥିତ ହୋଇ କଅଣ କରିଅଛି ବୋଲି କହିବି ? ସଂସାରରେ ସାର କିଛି ନାହିଁ, ସବୁ ମିଛମାୟା–ଏହା ନ ବୁଝିଲି କାହିଁକି ? ହାୟ, ଏ କି ମୋହ, କି ଭ୍ରାନ୍ତି ! ଯାହାକୁ ମୋର ମୋର କହୁଥିଲି, ସେ ତ ମୋର ନୁହେ । ଆଖି ବୁଜିଲେ ସବୁ ଅନ୍ଧାର ! କେତେବେଳେ ମୋର କିଏ, ନା ମୁଁ କାହାର ? ଲୋଭ କରି ଧନ ଅର୍ଜିଲି କାହିଁକି ? ସେ ଧନ କିଏ ଭୋଗ କରିବ-? ହେ ଭଗବାନ୍‌, ମନୁଷ୍ୟ ଉପରେ ତୁମ୍ଭର ଏଡ଼େ ଅହନ୍ତା କାହିଁକି ? ସେ ବିଚରା ତ ନିଜ ଇଚ୍ଛାରେ କିଛି ଦେଶଭ୍ରମଣ କରିବାକୁ ପୃଥିବୀକୁ ଆସି ନାହିଁ–ତୁମ୍ଭେ ତାକୁ ପଠାଇଛ ସିନା ! ଯେବେ ପଠାଇଲ, ତେବେ କେତେ ବର୍ଷ ପାଇଁ ପଠାଇଲ ତାହା ଲୁଚାଇଲ କାହିଁକି ? ନିଜର ପରମାୟୁ ଜାଣିଥିଲେ ସେ ଏତେ ପାପ, କୁକର୍ମ କରିବାକୁ ଅବଶ୍ୟ ଭୟ କରନ୍ତା । ଶେଷଦିନ ଯେତେ କତି ହୋଇ ଆସୁଥାଆନ୍ତା, ମାୟାଜଞ୍ଜାଳ ପାଖରୁ ସେ ତେତେ ଦୂରକୁ ଘୁଞ୍ଚିଯାଉଥାଆନ୍ତା । ମାନବକୁ ଆୟୁଜ୍ଞ କରିଥିଲେ ତୁମ୍ଭର କଅଣ ବା କ୍ଷତି ହୋଇଯାଇଥାଆନ୍ତା ? ମନୁଷ୍ୟର ସାବଧାନ ହେବାର ବାଟ ସୁଦ୍ଧା ତୁମ୍ଭେ ରଖି ନାହଁ ।’’ ପରିଛା ଉତ୍ତେଜନାରେ ଏହା କହୁ କହୁ ହଠାତ୍‌ ଜିହ୍ୱା ଦଂଶନ କରି କହିଲେ–‘‘ଛି ଛି, ମୁଁ ମୂଢ଼ ଭଗବାନଙ୍କୁ ବୁଦ୍ଧି ଶିଖାଇବାକୁ ଯାଉଅଛି । କୌତୁକଟା ମନ୍ଦ ନୁହେ–ବୁଦ୍ଧିବିଦ୍ୟା ସାହସ ବି ଊଣା ନୁହେ । କ୍ଷମାକର ଦୟାମୟ ! ତୁମ୍ଭ କର୍ମର ସମାଲୋଚନା କରି ମୁଁ ନିଜ ପାଖରେ ନିଜେ ଲଜ୍ଜିତ । ମୋର କୃତକର୍ମ ମୋତେ ଯଥେଷ୍ଟ ଶାସ୍ତି ଦେଲାଣି । ତୁମ୍ଭ ମଙ୍ଗଳ ଇଚ୍ଛା ମଧ୍ୟରେ ମଙ୍ଗଳ ଏକା ଥାଏ ମଙ୍ଗଳମୟ ! ମୁଁ ପାମର ତୁମ୍ଭ ମହିମା କଅଣ ବୁଝି-ପାରିବି ?’’ ପରିଛା ଏହିପରି ଗୁଡ଼ାଏ ଅନୁତାପ କରିହେଲେ । ତାଙ୍କ ମନରେ ହଠାତ୍‌ ଭୟ ପଶିଗଲା । ମୃତ୍ୟୂକୁ ବା କାହାର ଭୟ ନାହିଁ ? ସେହି ମୂହର୍ତ୍ତରେ ତାଙ୍କ ମନ ବି ସମ୍ପୂର୍ଣ୍ଣରୂପେ ପରିବର୍ତ୍ତେତ ହୋଇ ଧର୍ମମୁଖୀ ହୋଇଉଠିଲା । ଉଚ୍ଛୃଙ୍ଖଳ ମନକୁ ସୁପଥକୁ ଆଣି ମୃତ୍ୟୁଚିନ୍ତା ପକ୍ଷରେହିଁ ସହଜ ଓ ଆଶୁ ସୁସାଧ୍ୟ ପରିଛା ଏ କଥା କାହାରି ପାଖରେ ପ୍ରକାଶ ନ କରି ଖୁବ୍‌ ଗୋପନ ରଖିଲେ ।

 

–୬–

 

ପରିଛା ମୃତ୍ୟୁ ନିମନ୍ତେ ଭିତରେ ଭିତରେ ପ୍ରସ୍ତୁତ ହେବାକୁ ଲାଗିଲେ, ପୃଥିବୀର କାର୍ଯ୍ୟ ଯେତେ ଶୀଘ୍ର ଶେଷ କରିପାରନ୍ତି, ତେତେ ମଙ୍ଗଳ, ସୁତରାଂ ସେହି ଚେଷ୍ଟାରେ ଲାଗିଲେ, କରଜ ଲାଗିଥିବା ଟଙ୍କାସବୁ ଆଦାୟ କଲେ; ଖାତକମାନଙ୍କୁ ସୁଧସବୁ ଛାଡ଼ିଦେଲେ । ସ୍ଥଳବିଶେଷରେ ମୂଳ ଟଙ୍କାରୁ ବି କିଛି କିଛି ସେ ଛାଡ଼ି ଦେଲେ । ତାଙ୍କର ଏ ଅପୂର୍ବ ଦୟା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ; ମାତ୍ର କାରଣ କିଛି ଜାଣିପାରିଲେ ନାହିଁ । କେତେ ଲୋକ କେତେ ଅନୁମାନ କରିଗଲେ । କେହି କହିଲା–‘‘ବୃଦ୍ଧା ବେଶ୍ୟା ତପସ୍ୱିନୀ । ସୁଧ ଦୁହିଁ ଦୁହିଁ ଜୀବନଟା କଟିଲା, ଏବେ ମରିବାବେଳକୁ ଧର୍ମବୁଦ୍ଧି ବାହାରିଲା ।’’ କେହି କହିଲା–‘‘ନାହିଁ ହୋ, ସେ କଥା ଠିକ୍‌ ନୁହେ । ତୁମେ କେହି ଭିତରେ କଥା କିଛି ଜାଣ ନାହିଁ–ତୁଚ୍ଛାଟାରେ ଶୁଖିଲା ତର୍କଗୁଡ଼ାଏ ବାଢ଼ିଲେ ଫଳ କଅଣ ? ଅସଲ କଥା ମୁଁ କହୁଅଛି ଶୁଣ । ବାପୁଡ଼ା କିଛି ଗୁପ୍ତ ପାପ କରିଅଛି, ତାହାରି ପ୍ରାୟଶ୍ଚିତ୍ତ । ଏହା ଯେବେ ନ ହୁଏ, ତେବେ ମୋର କାନ କାଟିନେବ । ହୁ୍ଁ, ଯେଉଁ ମଣିଷର ଯେମନ୍ତ ଠାଣି–ତାହା ଚାଲିଗଲାଠଉଁ ଜାଣି ।’’ ଦୁଷ୍ଟ ଲୋକଙ୍କ ମୁହଁରେ କିଏ ହାତ ଦେବ ? ଏହିପରି ଯାହା ମନକୁ ଯାହା ଆସିଲା, ସେ ତାହା କହିଲା । ପରିଛାଙ୍କର ଆଉ ପୂର୍ବଭାବ ନାହିଁ, ସେ ଖିଙ୍କାରି ମିଙ୍କାରି ହେବା ନାହିଁ, ସେ ଝଡ଼ଝଡ଼ ଫରଫର ନାହିଁ, ସେ ଘଡ଼ି ଘଡ଼ି ତାତିଯିବା ନାହିଁ, ସେ ଏବେ ତୃଣଠାରୁ ନୀଚ, ତରୁ ପରି ସହିଷ୍ଣୁ ଏବଂ ଅମାନୀର ମାନଦାତା । ଆଉ କନକକୋଷ୍ଠୀର କେଉଁ ଶୁଭଗ୍ରହ ଏକାଦଶକୁ ଆସିଲା କେଜାଣି, ତାହା ପ୍ରତି ଆଉ ଗାଳି ବିରକ୍ତି ନାହିଁ । ବରଞ୍ଚ ବେଳେ ବେଳେ ସହାନୁଭୂତିର ଅମୃତଧାରା ତାହା ମସ୍ତକରେ ବର୍ଷିଯାଉଅଛି । କନକ ଓ ରାଣୀଦେଇ ଏ ଭାବାନ୍ତର ଲକ୍ଷ୍ୟ କଲେ; ମାତ୍ର କିଛି ହେତୁ ବାହାର କରିପାରିଲେ ନାହିଁ । ପରିଛାଙ୍କୁ ନିଃଶ୍ୱାସ ମାରିବାକୁ ତର ନାହିଁ, ସେ ପୃଥିବୀର କାମ ରୁଣ୍ତାଇ ପୁଣ୍ତାଇ ଶେଷ କରିବାରେ ଲାଗିଅଛନ୍ତି । ଗାଆଁ ଲୋକେ ଦା, କତା, କୋଡ଼ି, କୁରାଢ଼ି, ଶାବଳ, କୁଲା, ଚାଲୁଣୀ ଯେ ଯାହା ମାଗି ନେଇଥିଲେ ସେମାନଙ୍କ ଘରକୁ ଯାଇ ସେ ସମସ୍ତ ଆଦାୟ କରି ଆଣିଲେ । ଯାହାର ଯାହା ପ୍ରାପ୍ୟ ଥିଲା, ତାକୁ ତାହା ବୁଝାଇଦେଲେ । ପୂଜା ମାଳଜପା ଓ ଧର୍ମଗ୍ରନ୍ଥପାଠ ଭାରୀ ଆଡ଼ମ୍ୱରରେ ଲାଗିଲା । ଦାନଖଇରାତ୍‌ ବି ଚାଲିଲା । ଗୋଟାଏ ଅନ୍ନଚ୍ଛତ୍ର ଖୋଲି ଦିଆହେଲା । ଅନେକ ଦୁଃଖୀ, ରଙ୍କୀ, ଅନାଥ, ଅକ୍ଷମଙ୍କୁ ପଇସା ଲୁଗା ବଣ୍ଟାହେଲା । ଏହା ସବୁ ଦେଖି ତାଙ୍କ ଶତ୍ରୁମାନେ କୁହାକୁହି ହେଲେ, କୃପଣ ହାତରେ ପରା ପାଣି ଗଳେ ନାହିଁ ବୋଲି କହନ୍ତି, ଅର୍ଥ ତ ଘନ ପଦାର୍ଥ, ସେ କେମିତି ଗଳୁଅଛି ? କେହି କହିଲା, କୃପଣତା ଛାଡ଼ିଗଲାଣି । ଆଉ ଜଣେ କହିଲା–କେଜାଣି, ପରିଛାଙ୍କ ଆର ଜନ୍ମକୁ ତୋ କଥା ସଫଳ ହେବ ପରା !

 

ମୃତ୍ୟୃଦିନ କ୍ରମଶଃ ନିକଟବର୍ତ୍ତୀ ହୋଇଆସିଲା । ପରିଛାଙ୍କର ପୃଥିବୀର କାର୍ଯ୍ୟ ମଧ୍ୟ ଶେଷ ହୋଇଆସିଲା । ଆଉ ତାଙ୍କର ଦୁଇଟି ବୋଝ ଅଛି–ଗୋଟିଏ କନକ ଓ ଅନ୍ୟଟି ରାଣୀଦେଈ-। ସେ ଦୁହିଙ୍କ ପାଇଁ କି ବ୍ୟବସ୍ଥା କରିଯିବେ, ତାହାହିଁ ଚିନ୍ତାର ବିଷୟ ହେଲା । ଅନେକ ଚିନ୍ତା ଭାବନା ପରେ ସ୍ଥିର ହେଲା–କନକକୁ ସୁପାତ୍ର ଅର୍ପଣ କରି ଅଧେ ବିଷୟ ତାହାକୁ ଦାନ କରିଯିବେ ଏବଂ ଆଉ ରାଧାକାନ୍ତଜିଉ ଗୃହଦେବତାଙ୍କ ନାମରେ ଲେଖିଦେଇଯିବେ । ସେଥିରେ ଠାକୁରଙ୍କ ସେବାପୂଜା, ଭୋଗ-ରାଗ ଚଳିବ ଏବଂ ଦଶଜଣ ଅନାଥ ବାଳକବାଳିକଙ୍କୁ ଗ୍ରାସାଚ୍ଛାଦନ ଦିଆହେବ-। ରାଣୀଦେଈ ସେଥିରେ ତତ୍ତ୍ୱାବଧାନ କରିବେ । ତାଙ୍କ ମୃତ୍ୟୁ ପରେ ଗ୍ରାମର ପଞ୍ଚାଏତମାନେ ଉପଯୁକ୍ତ ଲୋକଦ୍ୱାରା ଉକ୍ତ ସାଧୁ ଅନୁଷ୍ଠାନଟି ଚଳାଇବେ । ପରିଛା ଖଣ୍ତିଏ ଉଇଲ ପ୍ରସ୍ତୁତ କଲେ । ସେଥିରେ ଉପର୍ଯ୍ୟୁକ୍ତ ବିଷୟଗୁଡ଼ିଏ ଲେଖାହୋଇ ଉଇଇ ରେଜେଷ୍ଟ୍ରୀ ହେଲା । ଏ କି ବିଚିତ୍ର ପରିବର୍ତ୍ତନ ! ଲୋକେ କହିଲେ, ବୁଢ଼ାଟା ବାୟା ହୋଇଗଲାଣି, ତାହାର ମତିଗତିର ସ୍ଥିରତା ନାହିଁ । ବାସ୍ତବରେ ପରିଛାଙ୍କ ପୂର୍ବ ଅବସ୍ଥା ସଙ୍ଗେ ବର୍ତ୍ତମାନ ଅବସ୍ଥାର ତୁଳନା କଲେ ଲୋକଙ୍କର ଅନୁମାନ ମୂଲ୍ୟହୀନ ବୋଲି କହିହେବ ନାହିଁ । ଅନନ୍ତର କନକ ପାଇଁ ବର ଖୋଜା ଲାଗିଲା; ମାତ୍ର ସେ ପଦାର୍ଥ ଦୁର୍ଲଭ ହେଲା ନାହିଁ । କନ୍ୟାଟିଏ ପାଇବ, ସାତପୁଲାରେ ଅଧେ ବିଷୟ ସେ ପାଇବ ଏ ସୌଭାଗ୍ୟର ସୁବିଧା ବି କେହି ପାଇଲେ ଛାଡ଼େ ? ବରବଜାରରେ ଗୋଟିଏ ଉତ୍କଣ୍ଠା ଧାଇଁ ବୁଲିଲା-। ପ୍ରତ୍ୟହ ରାତି ପାହିବାବେଳକୁ ପରିଛାଙ୍କ ଦ୍ୱାରରେ ଗୋଛା ଗୋଛା କୋଷ୍ଠୀ, ଟିପଣା ଆସି ଗଦାହେଲା । କେତେ ଲୋକଙ୍କର ଝରଣୀ ଆସି ଘର, ବରର ସୁଖ୍ୟାତି ଗାଇବାକୁ ଲାଗିଲେ । ଦୁଇଓଳି ବରଧାଡ଼ି ଛୁଟିଲେ । ପ୍ରତ୍ୟହ ଜଗୁଜୀବନଙ୍କ ଘରେ ସ୍ୱୟମ୍ୱରସଭା ବସିଲା । ବରବାପମାନେ କେତେ ଛଟା ଦେଖାଇ କେତେ ଢଙ୍ଗରେ କଥା କହିଲେ । କେହି କହିଲା-। ‘ମୋ ପୁଅ ତ ଇଂରେଜୀରେ ଚାରିଚାରିଟା ପାସ୍‌କରିଛି, ତାକୁ କଅଣ କନ୍ୟା ଅପୂର୍ବ ହେବ-? ଖାଲି ପାତ୍ରଟି ଦେଖି ତାକୁ ବହୂ କରିବାକୁ ଆମ ଘରଆଡ଼ ମଣିଷଙ୍କର ଭାରୀ ଆଗ୍ରହ ବଳିଅଛି ।’ ଆଉ କେହି କହିଲା, ‘କହନ୍ତି ପରା ଜାଗା ଦେଖି ବସିବୁ । ଗୋଟିଏ ଘର ପରି ଘର, ସେଥିଲାଗ ବନ୍ଧୁ କରିବାକୁ ଇଚ୍ଛା, ନ ହେଲେ ମୋର କଅଣ ବିଷୟ ନାହିଁ ଯେ, ମୁଁ ବିଷୟରଙ୍କ ହୋଇଅଛି ! ଆମେ ସିମିତି ଭିକାରୀ ନୋହୁ ।’ ବରକର୍ତ୍ତାମାନେ ଏହିପରି ନିଜ ନିଜର ନିର୍ଲୋଭତାର ବଡ଼େଇ ଗାଇଲେ-। ଯାହାହେଉ, ପରିଛା ଗୋଟିଏ ସୁବର ବାଛିନେଇ ତାହାକୁ କନ୍ୟା ସମ୍ପ୍ରଦାନ କରି କନକ ବିଷୟରେ ନିଶ୍ଚିନ୍ତ ହେଲେ ।

 

–୭–

 

ଜଗୁଜୀବନ ପରିଛାଙ୍କର ନିର୍ଦ୍ଧାରିତ ମୁତ୍ୟୃଦିବସ ଆସି ଉପସ୍ଥିତ ହେଲା । ଆଜି ସେ ଚିରଦିନ ପାଇଁ ସୁନ୍ଦର ପୃଥିବୀକୁ ଛାଡ଼ି ଚାଲିଯିବେ । ଏ ପ୍ରିୟ ଘରଦ୍ୱାର ତାଙ୍କ ନେତ୍ରର ଅନ୍ତରାଳରେ ରହିବ–ନରକଣ୍ଠର ମଧୁର ସ୍ୱର ସେ ଆଉ ଶୁଣିବେ ନାହିଁ, ଏହା କଅଣ ସାମାନ୍ୟ ଦୁଃଖର କଥା ! ମାୟାରେ ତାଙ୍କ ମନ ଘାଣ୍ଟିଚକଟି ହେଲା–ହୃଦୟ ଫାଟିଗଲା–ପେଟ ଭିତର ମସାଲ ଜଳିଲା ପରି ହାଉ ହାଉ ହେଲା, ଆଉ ତାଙ୍କ ଅଜଣାରେ ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ଅତି ଦୁଃଖୀ ସୁଦ୍ଧା ପୃଥିବୀ ଛାଡ଼ିଯାବାକୁ ଇଚ୍ଛାକରେ ନାହିଁ, ଆଉ ପରିଛାଙ୍କର କଅଣ ଅଭାବ ଯେ, ସେ ମୁତ୍ୟୃଇଚ୍ଛା କରନ୍ତେ ? ଅନେକେ କହନ୍ତି–‘‘ମୁଁ ମରିଯାଆନ୍ତି କି, କଷ୍ଟରୁ ଉଦ୍ଧାର ପାଇଯାଆନ୍ତି, ପୋଡ଼ା ଯମ ବି ମୋତେ ପାଶୋରିଯାଇ ହଟ ଲଗାଇଲା ।’’ ଏହିପରି କଥା ଅନେକ ଶୁଣାହୁଏ; ମାତ୍ର ତାହା ତୀବ୍ର ଶୋକ-ଦୁଃଖର ଉତ୍ତେଜନା ସିନା ! ତାହା ପ୍ରାଣର କଥା ନୁହେ, କି ବିବେକର ବାଣୀ ନୁହେ । ଏହିପରି ହାଇପି ସାଇପି ହେବାକ୍ଷଣି ଯେବେ ଲୋକେ ମରିଯାଉଥାଆନ୍ତେ, ତେବେ ଆଉ ସେପରି କଥା କେହି ତୁଣ୍ତରେ ଉଚ୍ଚାରଣ କରିବାକୁ ସାହସ କରନ୍ତେ ନାହିଁ । ସଂସାରରେ ବଞ୍ଚିରହିବାକୁ ସମସ୍ତଙ୍କର ଇଚ୍ଛା, ମରିବାକୁ କେହି ଇଚ୍ଛାକରେ ନାହିଁ । ପରିଛାଙ୍କର ମରିବାକୁ ଇଚ୍ଛା ନୁହେ; କିନ୍ତୁ କଅଣ କରିବେ ? ସେହି ହତଭାଗା ଆୟୂର୍ଯ୍ୟା ଲାଗି ତାଙ୍କୁ ବାଧ୍ୟହୋଇ ଅକାଳରେ ମରିବାକୁ ହେଉ ଅଛି ସିନା, ନ ହେଲେ ଆଉ କୋଡ଼ିଏ ବର୍ଷ ବଞ୍ଚି କୋଡ଼ି ଆମ୍ୱ ଖାଇବାକୁ କଅଣ ତାଙ୍କର ଇଚ୍ଛା ନୁହେ ? ପରଲୋକରେ କେଉଁ କାମଟା ବା ତାଙ୍କ ଲାଗି ଅଟକ ରହିଅଛି କିମ୍ୱା ସେଠାରେ କେଉଁ କଅଁଳା ପିଲାଟା ତାଙ୍କର କାନ୍ଦୁଅଛି ଯେ, ସେ ଯିବାକୁ ହକର ହକର ହୁଅନ୍ତେ–ଆଉ ଦିଗୋଡ଼ କାନ୍ଧରେ ପକାଇ ଧାଆନ୍ତେ ? ଯୁଧିଷ୍ଠିରଙ୍କ ପରି ତାଙ୍କର ଆଶା ଆକାଙ୍‍କ୍ଷା ମରିଯାଇ ନାହିଁ କିମ୍ୱା ସଂସାରରୂପ ଦଗ୍‌ଧ ମରୁଭୂମିରେ ତାଙ୍କର ଗୋଡ଼ଫୋଟକା ହୋଇଯାଇ ନାହିଁ । ତେବେ ସେ ଛାନିଆ ହୋଇ ପଳାନ୍ତେ କାହିଁକି ? ସେହି ଦରପୋଡ଼ା ଆୟୂର୍ଯ୍ୟଟା ସବୁ ଅନର୍ଥର ମୂଳ । ବର୍ତ୍ତମାନ କେହି ଯେବେ ତାଙ୍କୁ କହନ୍ତା, ‘‘ତୁମ୍ଭର ସର୍ବସ୍ୱ ମୋତେ ଦିଅ, ମୁଁ ତୁମ୍ଭଙ୍କୁ ବଞ୍ଚାଇ-ଦେବି’’, ତେବେ କଅଣ ସେଥିରେ ସେ ଅମଙ୍ଗ ହୁଅନ୍ତେ ? କେଭେଁ ନୁହେ–କେଭେଁ ନୁହେ, ବରଂ ସର୍ବସ୍ୱ ଦେଇସାରି ଅଧିକରେ ଜୁହାର ନିକିଟି ହୋଇ ଗୋଡ଼ ଧରି ପ୍ରାର୍ଥନା କରନ୍ତେ । ସଂସାରକୁ କେହି ଛାଡ଼ିଯିବାକୁ ଇଚ୍ଛାକରେ ନାହିଁ, କଲେ ସୁଦ୍ଧା ସଂସାର ତାକୁ ଛାଡ଼ିଦିଏ ନାହିଁ । ଯେବେ ତାକୁ ଛାଡ଼ିଦେବ, ତେବେ ବନ୍ଧନରେ ଆଉ ପକାଇବ କାହାକୁ ? ଆୟୁର୍ଯ୍ୟାଖଣ୍ତ ଲେଖାଇ ନ ଥିଲେ ପରିଛାଙ୍କୁ ଏତେ ସନ୍ତାପି ହେବାକୁ ପଡ଼ନ୍ତା ନାହି । ମୃତ୍ୟୁଦିନ ଜାଣିପାରନ୍ତେ କିପରି ଯେ, ଶୋକରେ ଘାରିହୁଅନ୍ତେ ? ସେହି ଆୟୂର୍ଯ୍ୟା ଏକା କାଳ ହେଲା । ତାହା ଲେଖାଇ ନ ଥିଲେ ଭଲ ହୋଇଥାଆନ୍ତା ।

 

ଆଜି ପରିଛାଙ୍କ ଜୀବନର ଶେଷ ଦିନ । ସେ ରାତି ଘଡ଼ିଏ ଥାଉଁ ଉଠି ସ୍ନାନକରି ଆସିଲେ । ଅଧନଉତି ଚନ୍ଦନ ଘୋରି ସର୍ବାଙ୍ଗରେ ବୋଳିହେଲେ । କପାଳରେ ଗଙ୍ଗାମୃତ୍ତିକାର ଚିତା ଘେନିଲେ । ମୁଣ୍ତରେ ଖଣ୍ତେ ନାମାବଳୀ ବାନ୍ଧିଲେ, ବେକରେ ଗୋଛାଏ ଢଗରା ଢଗରା ତୁଳସୀମାଳ ପକାଇଲେ । ତାହା ଉପରେ କେତେ ହାର ଫୁଲମାଳ ପଡ଼ିଲା । ତୁଳସୀମାଳ ଓ ଫୁଲହାରରେ ବେକଟା ଏପରି ବହଳରେ ଢାଙ୍କିଗଲା ଯେ, ସେଥିରେ ଅସି ଚୋଟ ବସାଇଲେ ସୁଦ୍ଧା ଦାଗ ବସିବ ନାହିଁ । ତହିଁ ଉତ୍ତାରୁ ହାତରେ ଗୋଟିଏ ଜପାମାଳ ଧରି ବେଳା ବେଳି ଘରୁ ବାହାରିପଡ଼ିଲେ । ଗାଆଁଯାକ ପ୍ରତିଘରେ ବୁଲିବୁଲି କହିଲେ- ଦୟା ରଖିଥିବ, ପାଶୋରିବ ନାହିଁ । ଏବେ ମୁଁ ଚାଲିଲି ।’ ଯାଉ ଯାଉ ଯାହାକୁ ଆଗରେ ଦେଖିଲେ ତାଙ୍କୁ ଗୋଟିଏ ଜୁହାର ହୋଇ ଏହିପରି କହି ବୁଲିଲେ । ଲୋକେ ତାଙ୍କ କଥାର ମର୍ମ ବୁଝି ନ ପାରି ତାଟଙ୍କା ହୋଇ ତାଙ୍କ ମୁହଁକୁ ଅନାଇ ରହିଲେ । ତାଙ୍କର ଏ ଅପୂର୍ବ ବରବେଶ ଦେଖି ଓ ଅଦ୍ଭୁତ କଥା ଶୁଣି କେହି ଅନୁମାନ କଲେ–ବୋଧହୁଏ ସେ ଗୃହତ୍ୟାଗୀ ହୋଇ ତୀର୍ଥବାସୀ ହେବେ; କିନ୍ତୁ ସେ ଯେ ସଂସାରତ୍ୟାଗୀ ହେଉଅଛନ୍ତି, ଏ କଥା କେହି ଜାଣନ୍ତି ନାହିଁ । ଯାହାହେଉ କାହାରିକୁ ଆଉ ଅଧିକ କ୍ଷଣ ସନ୍ଦେହରେ ଘାଣ୍ଟି ହେବାକୁ ପଡ଼ିଲା ନାହିଁ । ପରିଛା କହିଲେ, ଆୟୂର୍ଯ୍ୟାରେ ଲେଖାଅଛି ପରା–ଆଜି ୨୫ ଦଣ୍ତ ୧୩ଲିତା ବେଳେ ମୁଁ ଦେହତ୍ୟାଗ କରିବି । ସମସ୍ତେ ଆଶୀର୍ବାଦ କର, ମୋତେ ସଦ୍‌ଗତି ମିଳୁ । ସମସ୍ତଙ୍କ ପାଖରୁ ମୁଁ ଶେଷ ବିଦାୟ ନେଉଅଛି । ଲୋକେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, ଆବାଳବୃଦ୍ଧ ସମସ୍ତେ ପରିଛାଙ୍କ ପଛେ ପଛେ ଚାଲିଲେ । ସେ ଗାଆଁ ସାରା ବୁଲିସାରି ଦୁଇପ୍ରହର ବେଳେ ଘରକୁ ଫେରି ଆସିଲେ । ସେଦିନ କିଛି ଖାଇଲେ ନାହିଁ–କେବଳ କଳାତୁଳସୀ ପାଇ ରହିଲେ । ଶାସ୍ତ୍ରରେ କହିଛି ପରା–ମରିବାଦିନ ଭାତ ଖାଇଲେ ନରକରେ ପଡ଼ନ୍ତି । ଛାଇ ଗଡ଼ିଗଲାପରେ ଗାଆଁ ଲୋକେ ଡକାଡ଼କି ହୋଇ ପରିଛାଙ୍କ ସ୍ୱର୍ଗଯାତ୍ରା ଦେଖିବାକୁ ଆସିଲେ । ଖିଆଲିଆ ଲୋକେ କହିଲେ–‘‘ଆସ ରେ ଚାଣ୍ଡେ ଆସ, ପରିଛା ପୁଷ୍ପରଥରେ ଚଢ଼ି କିମିତି ସ୍ୱର୍ଗକୁ ଯିବେ ଦେଖିବା ।’’ କେହି କହିଲା–‘‘ପ୍ରାଣଟା କେଉଁ ବାଟେ ବାହାରି କୁଆଡ଼େ ଯିବ, ଦେଖିବା ଚାଲ ରେ ।’’ ଏହିପରି କୁହାକୁହି ହୋଇ ଯାତ୍ରାକାଳୀ ପରି ଲୋକେ ଧାଡ଼ି ଦେଲେ । ପରିଛାଙ୍କ ଘର, ବାହାର, ପିଣ୍ଡା, ଓଳି ସବୁ ଲୋକାରଣ୍ୟ ହୋଇଗଲା । ଏତେ ଲୋକ-ସମାଗମ ଦେଖି ରାଣୀଦେଈ ଛାନିଆ ହୋଇଗଲେ । ସେ ତ ଆଗରୁ କିଛି ଜାଣନ୍ତି ନାହିଁ, ସେ କାନ୍ଦିବେ ବୋଲି ପରିଛା ତାଙ୍କୁ ଲୁଚାଇଥିଲେ । ଏତେ ଲୋକଙ୍କ କଥାବାର୍ତ୍ତାରୁ ଭାଇଙ୍କର ମହାପ୍ରୟାଣ କଥା ବୁଝିପାରି କାନ୍ଦି କାଟି ଗୃହପ୍ରାଙ୍ଗଣ କମ୍ପାଇଦେଲେ । ମୁଣ୍ଡ କୋଡ଼ି ହୋଇ ଧୂଳିରେ ଗଡ଼ି ବଡ଼ପାଟିରେ ବାହୁନି କାନ୍ଦି କହିଲେ–‘‘ହାୟ ମୋ ରଙ୍କୁଣୀନିଧି ରେ-ହାୟ ମୋ ଜଗୁ ରେ, ମୋତେ କାହାକୁ ଦେଇଯାଉଛୁ ରେ ! ମଝିଦରିଆକୁ ସିନା ପେଲିଦେଇ ଯାଉଅଛୁ ରେ ! ମୁଁ କେମିତି ଦେହ ଧରି ରହିବି ରେ, ମୋ ବାପଧନ ରେ ! ଖରାରେ ବସିଲେ ଆଉ ଛାଇକି କିଏ ଡାକିବ ରେ, ମୋ ଭାଇରେ ! ସକାଳୁ ଉଠି ପିଙ୍କା ଖାଇବାଲାଗି ଆଉ କାହାକୁ ଦୁକୁତା ଶାଳପତ୍ର ଆଣି ଦେବିରେ, ମୋ ଜଗୁସୁନ୍ଦର ରେ ! ଅପା ବୋଲି ମୋତେ କିଏ ଡାକିବ ରେ ! ତୋ ପରି ଆଉ କିଏ ସୁନ୍ଦର ଦିଶିବ ରେ, ମୋ ଜଗୁହାତୀ ରେ-।’’ ରାଣୀଦେଈ ଏହିପରି ବାହୁନି କୋଡ଼ିକଚାଡ଼ି ହେବାକୁ ଲାଗିଲେ । କେତେ ଜଣ ତାଙ୍କୁ ସେଠାରୁ ଉଠାଇ ଅନ୍ୟତ୍ର ନେଇଯାଇ ପ୍ରବୋଧ ଦେବାରେ ଲାଗିଲେ । ଦେଖୁ ଦେଖୁ ମୃତ୍ୟୁବେଳ ଆସି ଉପସ୍ଥିତ ହେଲା । ପରିଛା ଖଣ୍ଡେ ମୃଗଛାଲ ଉପରେ ଚେକାମାଡ଼ି ବସି ଉଚ୍ଚକଣ୍ଠରେ ବସି ହରେକୃଷ୍ଣ ରାଧେକୃଷ୍ଣ ଆବୃତ୍ତ କରିବାକୁ ଲାଗିଲେ । ଉପସ୍ଥିତ ଜନବୃନ୍ଦ ଘନ ଘନ ହରିବୋଲ ପକାଇଲେ । କେତେଜଣ ଖୋଳ କରତାଳ ବଜାଇ ପରିଛାଙ୍କ ଚାରିପାଖରେ ସଂକୀର୍ତ୍ତନ କରି ବୁଲିଲେ । କେହି ପରିଛାଙ୍କ ମୁଁହକୁ ଏକଧ୍ୟାନରେ ଅନାଇରହିଲା–କେହି ଉର୍ଦ୍ଧ୍ୱଦୃଷ୍ଟ ହୋଇ ଦେବରଥ ଆସୁଛି କି ନାହିଁ ଦେଖିବାକୁ ଲାଗିଲା; କିନ୍ତୁ ଏ କି କଥା, ଚାହିଁ ଚାହିଁ ସମସ୍ତଙ୍କ ଆଖିରୁ ପାଣି ମଲା–ଯମ କାହିଁ ନା, ମୃତ୍ୟୁ କାହିଁ ନା, ଦେବରଥ ବା କାହିଁ ? ଦେଖୁ ଦେଖୁ ସନ୍ଧ୍ୟା ହେଲା–ରାତି ହେଲା । କାହିଁ କେହି ତ କୁଆଡ଼ୁ ଆସିଲା ନାହିଁ । ସମସ୍ତେ ଅପେକ୍ଷା କରି କରି ରାତି ଅଧିକ ହୋଇଯିବାରୁ ବିରକ୍ତ ହୋଇ ଉଠି ଚାଲିଗଲେ । ପରିଛା ଘରେ ଯାଇ ଶୋଇଲେ ।

 

ସକାଳୁ କେତେ ଲୋକ ଆସି ପଚାରିଲେ–‘‘କି ହେ ପରିଛା, ଯମପୁରରୁ ଫେରିଆସିଲଣି କି ?’’ ପରିଛା ହସି ହସି କହିଲେ–‘‘ହଁ, ମୁ ପରା ମୃତ୍ୟୁତୀର୍ଥର ଫେରନ୍ତା ଯାତ୍ରୀ, ଦୁଷ୍ଟ ନାହାକଟା ମୋତେ କି ହଟହଟା କଲା ।’’ କେହି କେହି କହିଲେ–‘‘ଆଛା, ତମ ଅୟୁର୍ଯ୍ୟାଖଣ୍ଡ ଆଣନି ଦେଖିବା । ‘‘ପରିଛା ଅୟୁର୍ଯ୍ୟା ଆଣି ଦେଲେ । ସମସ୍ତେ ପଢ଼ିଲେ । ସେଥିରେ ଲେଖାଅଛି ସନ ୧୩୧୦ ସାଲ; ମାତ୍ର ପରିଛା ତାକୁ ତେରଶହ ଏକସାଲ ବୋଲି ପଢ଼ିଥିଲେ । ତହୁଁ ସମସ୍ତେ ଉଚ୍ଚହାସ୍ୟ କରି ଉଠିଲେ । ପରିଛା ଲଜ୍ଜିତ ହୋଇ କହିଲେ–ଓଃ, ମୁଁ ଭୁଲରେ ଶୂନଟା ଛାଡ଼ିଯାଇଥିଲି-! ସେହି ଦିନଠାରୁ ପରିଛାଙ୍କୁ ସମସ୍ତେ ଫେରନ୍ତାଯାତ୍ରୀ ବୋଲି କହନ୍ତି ।

Image